ବକ୍ତୃତା
ପ୍ରାୟ ୪ ବର୍ଷ ହେଲାଣି ଚାକିରୀ ଜୀବନରୁ ଅବସର ନେଲେଣି ପୋଷ୍ଟମାଷ୍ଟର ରମାକାନ୍ତ ବାବୁ ଏବେ ନିଜର ଏକମାତ୍ର ପୁଅ ସଦାଶିବ ପାଖରେ ରାଜଧାନୀରେ ରହୁଛନ୍ତି। ସାଥିରେ ଅଛନ୍ତି ଜୀବନ ସଙ୍ଗିନୀ ସରୋଜିନୀ ଦେବୀ, ବୋହୂ ଏବଂ ନାତିଆ ଟୋକା। ସକାଳ ବୁଲା ସାରି ପାର୍କରେ କିଛି ସମୟ ସମବୟସ୍କ ବନ୍ଧୁମାନଙ୍କ ସାଥିରେ ଅତିବାହିତ କରି ଘରକୁ ଆସି ଗାଧୋଇ ଠାକୁର ପୂଜା ସାରି ଜଳଖିଆ ଖାଇସାରି ଆରାମ କରନ୍ତି, ବେଳେ ବେଳେ ଖବରକାଗଜ ପଢି ଦିନ ବିତାନ୍ତି ପୋଷ୍ଟମାଷ୍ଟର ବାବୁ। ଏସବୁ ଭିତରେ ବେଳକୁ ବେଳ ପାନ ଖଣ୍ଡିଏ ହାତକୁ ବଢ଼େଇଦିଅନ୍ତି ସହଧର୍ମିଣୀ।
ସବୁଦିନ ପରି ସେଦିନ ବି ଖବରକାଗଜ ପଢି ପଢି ପାନ ଖାଇ ବସିଥାନ୍ତି। ଏତିକି ବେଳେ ନାତିଆର ସ୍କୁଲରୁ ଆସିବା ସମୟ ହୋଇଗଲାଣି ବୋହୂ କହିଲେ ବାପା ଟିକୁର ସ୍କୁଲ ବସ ଆସିବା ସମୟ ହେଲାଣି ତାକୁ ଟିକିଏ ବସଷ୍ଟପରୁ ନେଇଆସିବେ। ନାତିଆକୁ ଆଣିବା ପାଇଁ ଗଲେ ରମାକାନ୍ତ ବାବୁ, ଆସିବା ବେଳେ ଟିକୁ କହିଲା ଜେଜେ କାଲି ଆମ ସ୍କୁଲରେ debate ଅଛି। ଭଲ କଥା ତୁ ସେଥିରେ ଅଂଶଗ୍ରହଣ କରେ କହି ପ୍ରତ୍ୟୁତ୍ତର ଦେଲେ ପୋଷ୍ଟମାଷ୍ଟର ବାବୁ। ଘରକୁ ଆସି ସଫା ହୋଇ ଖାଇବା ପରେ ଟିକୁ ଲାଗିଗଲା ନିଜ ବକ୍ତୃତା ପ୍ରସ୍ତୁତିରେ ବାପା ସଦାଶିବଙ୍କ ସାହାଯ୍ୟ ଲୋଡିଲା ଟିକୁ କିନ୍ତୁ ସେ କିଛି ଜରୁରୀ କାମରେ ବ୍ୟସ୍ତ ଥିବାରୁ ସେଥିରୁ ନିରାଶ ହୋଇ ମାଙ୍କ ପାଖକୁ ଆସିଲା କିନ୍ତୁ ଏ କଣ! ସେ ବି କିଛି କାମରେ ବାହାରକୁ ଯିବା ପାଇଁ ବାହାରିଥିଲେ ଦୁଃଖିତ ହୋଇ ଆସି ବସିଲା ଜେଜେବାପାଙ୍କ ପାଖରେ । ଜେଜେ ପଚାରିଲେ କିରେ କଣ ହେଲା ମୁହଁ ଶୁଖାଇ ବସିଛୁ, ଟିକୁ କହିଲା ମତେ debate ପାଇଁ କେହି ବି ସାହାଯ୍ୟ କରୁନାହାନ୍ତି। କଣ ତୁମକୁ debate ଆସେ ଜେଜେ, ଏକ ସ୍ମିତହାସ୍ୟ ଦେଇ ରମାକାନ୍ତ ବାବୁ କହିଲେ ହଁ ମୋତେ ଆସେ। ଲାଗିଗଲେ ନାତିଆ ସାଥିରେ ପ୍ରସ୍ତୁତି ପାଇଁ, ପ୍ରସ୍ତୁତିରେ ଏମିତି ମଜ୍ଜି ଯାଇଥିଲେ ଯେମିତି ନାତି ପାଇଁ ନୁହେଁ ନିଜ ପାଇଁ ସେ କରୁଛନ୍ତି, ନିଜର ଅପୂରଣିଅ ସ୍ୱପ୍ନକୁ ସାକାର କରିବା ପାଇଁ ନିଜର ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ମିଳିଯାଇଛି। ଦିନ ରାତି ଏକ କରି ଜେଜେ ଓ ନାତି ଭୋକ ଶୋଷ ଭୁଲି ଯାଇଥିଲେ ଯେମିତି। ଜେଜେ ବାପା ନାତିଙ୍କ ଅକ୍ଲାନ୍ତ ପରିଶ୍ରମ ରଙ୍ଗ ଆଣିଲା ନାତି ସବୁଠାରୁ କନିଷ୍ଠ ବକ୍ତା ଭାବରେ ଅଂଶଗ୍ରହଣ କରି ଅସୁମାରି ପ୍ରଶଂସା ସାଉଁଟିବା ସାଥିରେ ପୁରସ୍କାର ବି ପାଇଲା। ନିତିଦିନ ଭଳି ରମାକାନ୍ତ ବାବୁ ଟିକୁ କୁ ଆଣିବା ପାଇଁ ବସ ପାଖକୁ ଗଲେ କିନ୍ତୁ ତାଙ୍କ ଚେହେରାର ଭାବଭଙ୍ଗୀରୁ ସ୍ପଷ୍ଟ ବାରିହେଉଥିଲା ଯେମିତି ସେ ନାତି ସାଥିରେ ଆଉ କାହାକୁ ଦେଖିବା ପାଇଁ ଚାହୁଁଥିଲେ। ବସ ଆସିଲା ଅନ୍ୟ ପିଲାମାନଙ୍କ ସାଥିରେ ନାତି ଓହ୍ଲେଇଲା ସାଥିରେ ଚିକ ଚିକ କରୁଥିବା ପୁରସ୍କାର ନେଇ, ଜେଜେଙ୍କ ହାତକୁ ବଢ଼ାଇଦେଇ କହିଲା ଜେଜେ ଆମ କଷ୍ଟର ଫଳ। ଖୁସିରେ ଆତ୍ମହରା ହୋଇ ନାତିକୁ କୁଣ୍ଢେଇ ଧରିଲେ ପୋଷ୍ଟମାଷ୍ଟର ବାବୁ ଯେମିତି ସେ ପୁରସ୍କାର ନୁହେଁ ସ୍ୱର୍ଗର ପାରିଜାତ ଆଣି ଦେଇଛି ତା ଜେଜେଙ୍କୁ, ଆଖିରୁ ଝରି ଗଲା ଖୁସୀର ଅଶ୍ରୁ।
ନାତି ସାଥିରେ ପ୍ରତିଯୋଗିତା ବିଷୟରେ ଚର୍ଚ୍ଚା କରୁ କରୁ ଭାବନା ରାଜ୍ୟରେ ହଜିଗଲେ ରମାକାନ୍ତ ବାବୁ ଚାଲିଗଲେ ନିଜ ପିଲା ବେଳକୁ, ସେଇ ସମୟକୁ ଯେଉଁ ସମୟରେ ସେ ନିଜକୁ ବକ୍ତା ଭାବରେ ଦେଖିବା ପାଇଁ ଚାହୁଁଥିଲେ। ପ୍ରଚ୍ଛଦପଟ୍ଟରେ ଭାସିଆସିଲା ତାଙ୍କର half ସାର୍ଟ ଏବଂ half ପେଣ୍ଟ ପିନ୍ଧି ବିଦ୍ୟାଳୟରେ ଆୟୋଜିତ ଓ ପାଳିତ ହେଉଥିବା ଛୋଟ ଛୋଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରୁଥିବା ଦୃଶ୍ୟ। ସବୁ ଛୋଟ ବଡ ଦିବସଗୁଡିକରେ ସେ କିପରି ନିଜର ବକ୍ତବ୍ୟ ପାଇଁ ପ୍ରଶଂସା ସାଥିରେ ପ୍ରୋତ୍ସାହନ ପାଉଥିଲେ। ତାଙ୍କୁ ସ୍ମରଣ ହେଉଥିଲା ଯେବେ ସେ ନିଜର ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ବକ୍ତୃତାରେ ଅଂଶଗ୍ରହଣ କରିନଥିଲେ କିନ୍ତୁ ପ୍ରଧାନଶିକ୍ଷକ ଆଜ୍ଞା ତାଙ୍କ ଅନୁପସ୍ଥିତିକୁ ଗ୍ରହଣ କରିନପାରି ପ୍ରତିଯୋଗିତା ପର ଦିନକୁ ଘୁଞ୍ଚାଇଦେଇ, ସାଙ୍ଗ ରାଧୁଆ ହାତରେ ଖବର ପଠାଇଥିଲେ। ଆଜ୍ଞାଙ୍କ ବିଶ୍ଵାସକୁ ସଠିକ ପ୍ରମାଣ କରି ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସ୍ମୃତି ପୁରୁଣା ହେଲେ ମଧ୍ୟ କାଚ ସଦୃଶ୍ୟ ନିର୍ମଳ ଥିଲା ସେ ଭୁଲି ପାରିନଥିଲେ ସେଇ ଘଟଣାକୁ, ସେଦିନର ସହଯୋଗ ଏବଂ ବିଶ୍ୱାସ ପାଇଁ ସେ ଆଜି ବି କୃତଜ୍ଞ ଆଜ୍ଞାଙ୍କ ପାଖରେ।
ନିୟତିର ଖେଳ ବା କିଏ ଜାଣେ ମାଟ୍ରିକ ପରୀକ୍ଷା ସମୟରେ ବାପାଙ୍କ ଅକାଳ ମୃତ୍ୟୁ ସାଥିରେ ଘରର ଭାର ଆସିଗଲା ରମାକାନ୍ତ ବାବୁଙ୍କ କାନ୍ଧ ଉପରକୁ। ବାପା ପୋଷ୍ଟପିଅନ ଥିଲେ ମାଟ୍ରିକ ପାସ କରି ସେ ବାପାଙ୍କ ଚାକିରୀରେ ଯୋଗଦେଲେ। ମା ନିଜର ମାନସିକ ଭାରସମ୍ୟ ହରାଇ ବସିଥିଲେ ତେଣୁ ହାତକୁ ଦି ହାତ ହୋଇ ସଂସାର ଆରମ୍ଭ କରିଲେ, ଧୀରେ ଧୀରେ ଦୁଇ ପ୍ରାଣୀରୁ ପାଞ୍ଚ ପ୍ରାଣୀହେଲା ଗୃହସ୍ଥ ଜୀବନ ସାଥିରେ ମା। ପାରିବାରିକ ଜୀବନର ପଦୋନ୍ନତି ସାଥିରେ କର୍ମକ୍ଷେତ୍ରରେ ମଧ୍ୟ ପଦୋନ୍ନତି ପାଇ ଏବେ ପୋଷ୍ଟପିଅନରୁ ପୋଷ୍ଟମାଷ୍ଟର ହୋଇଗଲେଣି। ଉଭୟ କର୍ମମୟ ଏବଂ ପାରିବାରିକ ଜୀବନ ଖୁବ ବ୍ୟସ୍ତବହୁଳ ହୋଇଗଲା, ମଝିରେ ମଝିରେ ଯେଉଁ କ୍ଷୁଦ୍ରଗଳ୍ପ ଲେଖୁଥିଲେ ଏବେ ତାହା କ୍ରମଶଃ ଲୋପ ପାଇଛି। ସାଂସାରିକ ଭାରର ବୋଝ ଅସହ୍ୟ ହୋଇ ଚାପି ହୋଇଗଲା ସେଇ ପିଲାଦିନର ସ୍ବପ୍ନ, ସେଇ ବକ୍ତାର ଭାବ, ଭାଷା ଓ ଉପସ୍ଥାପନା।
ପତ୍ନୀ ସରୋଜିନୀଙ୍କ ଡାକରେ ତଟସ୍ଥ ହୋଇଗଲେ, ଭାଙ୍ଗିଗଲା ତାଙ୍କର ସ୍ବପ୍ନ ଆସିଗଲେ ସ୍ବପ୍ନରାଜ୍ୟରୁ ବାସ୍ତବକୁ ସାଥିରେ ଆଣିଥିଲେ ଲୁହ ଭିଜା ଚକ୍ଷୁ ଯୁଗଳ। ଓଷ୍ଠ ଧାରରେ ମୃଦୁ ହସ ସାଥିରେ କହିଲେ ଯୁବାବୟସକୁ ଚାଲିଯାଇଥିଲି।
Comments
Post a Comment