ଝିଅ ଦେଖା
ପିଲାଟିଏ ଯୁବା ବୟସରେ ଉପନୀତ ହେବା ପରେ ବାପା ମା ସମେତ ସମ୍ପୂର୍ଣ୍ଣ ପରିବାର ତା ହାତକୁ ଦି ହାତ କରିବା ବିଷୟରେ ଭାବିଥାନ୍ତି ଏବଂ ଉପଯୁକ୍ତ ଜୀବନ ସାଥି ଚୟନ କରିବାରେ ଲାଗିପଡ଼ିଥାନ୍ତି। ଅଭିମନ୍ୟୁ ବାବୁଙ୍କ ଜୀବନରେ ମଧ୍ୟ ସେଇ ସମୟ ଆସିଯାଇଛି ନିଜ ଏକମାତ୍ର ନାତୁଣୀକୁ ବିବାହ ବନ୍ଧନରେ ବାନ୍ଧିଦେବା ପରେ ବର୍ତ୍ତମାନ ନାତି ଶୁଭ୍ରଜିତର ପାଳି । ପିଲାଟା ବିବାହ ବୟସର ହୋଇଗଲାଣି, ଦେଖିବାକୁ ସୁସ୍ଥ ସବଳ ଡାଉଲ ଚେହେରା । ରଙ୍ଗ ଟିକିଏ ଅଳ୍ପ କିନ୍ତୁ କୋଉ ସିନେମା ହିରୋ ଠାରୁ କମ୍ ନୁହେଁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ପିଲା ଭଲ ରୋଜଗାର କରୁଛି, ଆଉ ଖୁବ୍ ଦାୟିତ୍ୱବାନ ମଧ୍ୟ। ଅଫିସ୍ କାମ ହେଉ ଅବା ଘର କାମ ହଉ ଅବା ସାହି ଲୋକଙ୍କ କାମ ସବୁଥିଲେ ପାରଙ୍ଗମ।
ଅଭିମନ୍ୟୁ ବାବୁଙ୍କ ନଜରରେ ଗୋଟିଏ କନ୍ୟାପାତ୍ରୀ ଅଛି ତାଙ୍କ ଅନ୍ତରଙ୍ଗ ବନ୍ଧୁ ନିରାକାର ବାବୁଙ୍କ ଝିଅର ଝିଅ ଅର୍ଥାତ୍ ନାତୁଣୀ। ପିଲାଟା ସୁଦୂର ହାଇଦ୍ରାବାଦରେ ଚାକିରୀ କରୁଛି ଏବେ ଛୁଟିରେ ଆସିଛି ଗଲେ ପୁଣି କେବେ ଆସିବ କିଛି ଠିକଣା ନାହିଁ, ଏଇ ସୁବର୍ଣ୍ଣ ସୁଯୋଗ ହାତ ଛଡା କରିବା ପାଇଁ ଚାହୁଁ ନଥିଲେ ଅଭିମନ୍ୟୁ ବାବୁ । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଚାହୁଁଛନ୍ତି ସେ ଅର୍ଥାତ୍ ଝିଅ ଦେଖା ସାଥିରେ ବହୁତ ସମୟ ଅନ୍ତରାଳ ପରେ ପୁରୁଣା ବନ୍ଧୁ ସାଥିରେ ପୂର୍ବ ସ୍ମୃତିର ପୁନରୁଦ୍ଧାର ହୋଇଯିବ। ବହୁତ ଚର୍ଚ୍ଚା ପରେ ପରିଶେଷରେ ଦିନ ଏବଂ ସମୟ ଧାର୍ଯ୍ୟ ହେଲା ବନ୍ଧୁ ମିଳନ ପାଇଁ ।
କାଲି ସନ୍ଧ୍ୟାରେ ନାତି ପ୍ରଥମ ଥର ଝିଅ ଦେଖିବା ପାଇଁ ଯିବ। କିନ୍ତୁ କ'ଣ କଥା ହେବ ! କ'ଣ ପଚାରିବ !..…... ସେ ଆଗରୁ ବହୁତ ବନ୍ଧବୀଙ୍କ ସାଥିରେ କଥା ହୋଇଛି ସ୍କୁଲ, କଲେଜରେ ଏବଂ ଅଫିସରେ । କିନ୍ତୁ ଏଇ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା, ଏତେସାରା ଲୋକ, ପୁରା ପରିବାର, ସେ ପୁଣି ନୂଆ ଲୋକଙ୍କ ସମ୍ମୁଖରେ ! କ'ଣ ବା କଥା ହେବ ସେ କିଛି ଜାଣିପାରୁ ନଥାଏ । ଆଶଙ୍କାରେ ତା ମନ ଭିତରଟା କେମିତି ଆନ୍ଦୋଳିତ ହୋଇଯାଉଥାଏ । ଶେଷରେ ସିଦ୍ଧାନ୍ତ ନେଲା ଯାଇ ଅଭିଜ୍ଞ ଲୋକଙ୍କ ସାହାଯ୍ୟ ନିଏ । ରାତି ଖାଇବା ସରିଲା ପରେ ସମସ୍ତେ ସେ ଝିଅ ଆଉ ତାଙ୍କ ପରିବାର ବିଷୟରେ ଚର୍ଚ୍ଚା କରୁଥାନ୍ତି ।
ସୁଯୋଗର ଫାଇଦା ଉଠାଇ ଶୁଭ୍ରଜିତ ପଚାରିଲା, "ଜେଜେ ତୁମର ଆଉ ଜେଜେମାଙ୍କର ପ୍ରଥମ ଦେଖା କେମିତି ଥିଲା?" ଖୁବ ଜୋରରେ ମନଖୋଲି ଏକ ରାଜକୀୟ ହସ ସାଥିରେ ଅଭିମନ୍ୟୁ ବାବୁ ଆରମ୍ଭ କରିଲେ ତାଙ୍କର ପ୍ରଥମ ଦେଖାର ଅଭୁଲା ସ୍ମୃତି ନିଜ ଜୀବନ ସଙ୍ଗିନୀ ସାଥିରେ । ଫେରିଗଲେ ୫୯ ବର୍ଷ ତଳକୁ, ସେଇ ସ୍ମୃତିର କଳ୍ପନା ମାତ୍ରେ ତାଙ୍କର ଶିଥିଳ ଚେହେରା ଯେମିତି ସତେଜ ହୋଇ ଉଠିଥିଲା । ତାଙ୍କେ କହିଉଠିଲେ "ଆଜି କାଲି ଭଳି ସେ କାଳରେ କ'ଣ ପୁଅ ଝିଅ ଦେଖା କରୁଥିଲେ, ତ ଜେଜେମାକୁ ମୁଁ ନ ଦେଖୁଣୁ ମୋର ସମ୍ବନ୍ଧ ପକ୍କା ହୋଇଯାଇଥିଲା । ମୋ ମା ଆଉ ପିଉସୀ ପ୍ରଥମେ ତୋ ଜେଜେମାକୁ ଦେଖିଲେ ତାଙ୍କ ପସନ୍ଦ ହେଲା । ବାପା ନିଷ୍ପତ୍ତି ନେଲେ ଏଇଠି ହିଁ ବିବାହ ହେବ କିନ୍ତୁ ମୋ ମନ ଥରୁଟିଏ ତ ଜେଜେମାକୁ ଦେଖାକରିବା ପାଇଁ ବ୍ୟଗ୍ର ହେଉଥିଲା । ତୋ ଜେଜେମାର ଦାଦା ପୁଅ ଭାଇ ମୋ ସାଙ୍ଗ । ଥରେ ତା ପାଖକୁ ଯାଇଥିଲି, ମୋର ଜୋଇଁ ଚର୍ଚ୍ଚା ହୋଇଥିଲା କପେ ଚା ଆଉ ପାଣି ଗିଲାସେ ସାଥିରେ, ଆଉ ଆରମ୍ଭ ହୋଇଗଲା ମୋର ଇଣ୍ଟରଭିଉ । ପୁରା ପରିବାରର ପ୍ରଶ୍ନ ଆଉ ଉତ୍ତର ପାଇଁ ମୁଁ ଏକା ଓହୋଃ! ଶେଷରେ ତୋ ଜେଜେମାର ବାପା ପଚାରିଲେ ପୁଅ ଆମ ଝିଅକୁ ଦେଖିବ କି ? ମୁଁ ନୀରବ ରହିଲି କିଛି ସମୟ ପରେ କହିଲେ ଆସ । ସଂଯମତାର ସହ ତାଙ୍କ ବାଡ଼ି ଅଗଣା ଆଡକୁ ଗଲି । ତୋ ଜେଜେମା କୋଇଲା ଚୁଲି ପାଖରେ ଠିଆ ହୋଇଥିଲା, କିନ୍ତୁ ତା ମୁହଁ ଥିଲା ଆରପଟରେ ପୁରା ଲଜ୍ୟାବତୀ କନ୍ୟା ଆଜିବି ମୋର ମନ ଅଛି ତା ହଳଦିଆ ରଙ୍ଗର ଶାଢ଼ୀକୁ ଲାଲ ଇଟମଳା ଫୁଲ ମାଲ ଖୁବ୍ ଭଲ ମାନୁଥିଲା।" ଶୁଭ୍ରଜିତ ପଚାରିଲା ଆଉ ମୁହଁ କେମିତି ଥିଲା ? ସେୟାହିଁ ଦେଖିପାରିନଥିଲି ବହୁତ ଚେଷ୍ଟା କରିଲି ସବୁ ବିଫଳ ହେଲା କହି ଏକ ତାଚ୍ଛଲ୍ୟ ହସଟିଏ ଦେଲେ ଅଭିମନ୍ୟୁବାବୁ । ପାଖରେ ବସି ପାନ ଖିଲ ଭାଙ୍ଗି ଭାଙ୍ଗି ଜେଜେମା କହିଉଠିଲେ ଥାଉ ଥାଉ ଆଉ କୁହନି, ଫଗୁଣ ଯାତ୍ରା କଥା କହୁନ ମେଳଣ ପଡିଆରେ ତୁମର କୀର୍ତ୍ତି । ସେଠୁ ଜେଜେମା ଆରମ୍ଭ କରିଲେ ମେଳଣ ପଡ଼ିଆର ପ୍ରଥମ ମିଳନର କାହାଣୀ, "ମୁଁ ଯାଇଥାଏ ମୋ ମାମୁଁଙ୍କ ଘରକୁ ଫଗୁଣ ଯାତ୍ରା ଦେଖିବାକୁ, ସେ ଗାଁକୁ ଲାଗି ତ ଜେଜେବାପାଙ୍କ ଗାଁ । ସେ ବି ଆସିଥାନ୍ତି ମେଳଣ ଦେଖିବା ପାଇଁ", ତାଙ୍କ କଥା ଅଟକାଇ ଜେଜେ କହିଲେ "ମେଳଣ କେବଳ ବାହାନା ମୁଁ ତୋ ତତେ(ଜେଜେମାକୁ) ଦେଖିବା ପାଇଁ ଯାଇଥିଲି, ରଖ ବା ତୁମ ଡ୍ରାମା କଥା ଦେଖିଲ ତ ବାସ୍ ଫୁଲ ଦେବା କଣ ଦରକାର ଥିଲା ସେ ବି ନକଲି ଫୁଲ। ସେ ଫୁଲ କଥାକୁ ନେଇ ମୋ ଭାଉଜ କ'ଣ କମ ଚିଡାଇଲେ ମୋତେ। ଆଜି ପର୍ଯ୍ୟନ୍ତ ମିଶିଲେ ଚିଡାଉଛନ୍ତି ।" ପୁରା ଘର କମ୍ପି ଉଠିଲା ହସ ର କଲ୍ଲୋଳରେ।
ଏବେ ତ ବାପାର କାହାଣୀ ପଚାରେ ଖାଲି ଆମେ ବୁଢ଼ାବୁଢ଼ୀର କାହାଣୀ ଶୁଣିବୁ ନା କଣ। ଏତିକି କହି ପୁଅ ସୁଶାନ୍ତଙ୍କୁ ଇଙ୍ଗିତ କରିଲେ ଅଭିମନ୍ୟୁ ବାବୁ। ଜେଜେମା କହିଲେ," ମୋ ପୁଅର ନା ଯେମିତି ସୁଶାନ୍ତ ତା ଗୁଣ ବି ସେମିତି ଖାଲି ତୁମ ଜୋଇଁ ମୋ ପିଲାଟାକୁ ଡରେଇ ଦେଲେ ନା।"
ଶୁଭ୍ରଜିତ କିଛି କହିବା ପୂର୍ବରୁ ସୁଶାନ୍ତ ଏକ ସ୍ମିତା ହସ ସାଥିରେ କହିଲେ ପିଉସାଙ୍କ କଥାକୁ ମୁଁ ସତ ଭାବିଦେଇଥିଲି, ତୋ ମାକୁ ଦେଖିବା ପୂର୍ବରୁ ମୋତେ ମୋ ପିଉସା ସମ୍ପୂର୍ଣ୍ଣ ତାଲିମ ଦେଇ ପଠାଇଥିଲେ । ଯେମିତି କି ଝିଅ ଆସିବା ସମୟରେ ତା ପାଦକୁ ଦେଖିବୁ ତା ଚାଲିବା ଶୈଳୀ ନିରେଖିବୁ କାଳେ ସେ ଛୋଟି ହୋଇଥିବ, ତା ଆଖିକୁ ଧୀରେ ଦେଖିବୁ ଠିକ ଅଛି ନା ଟେରିଟା, ତାକୁ ଧୀରେ କହିବୁ କାଳେ ଶ୍ରବଣ ଶକ୍ତି କମ୍ ଥିବ, ତାକୁ କିଛି ପଚାରିବୁ ଯେମିତି ସେ କଥା କହିବ ଖନା ନା ନାହିଁ ପରଖିବୁ। ଆଉ କିଛିବି ଖାଇବାକୁ ଦେଲେ ଖାଇବୁନୁ।
ତାହେଲେ ତୁମେ କଣ(ଶୁଭ୍ରଜିତର କଥା କୁ ଅଧାରେ ରଖି ବାପା କହିଲେ)...... ନା ନା ସେମିତି କିଛି କରିନି ମୁଁ କିଛି ଦରକାର ବି ପଡ଼ିଲାନି କାରଣ ତୋ ମା କୁ ଆଗରୁ ଗୋଟେ ସମ୍ପର୍କୀୟଙ୍କ ଭୋଜିରେ ଦେଖାଇ ମୋ ମା ପଚାରିଥିଲା ସେ ଝିଅ ତତେ ପସନ୍ଦ କି? ମୁଁ କହିଥିଲି ତୋର ଯାହା ଇଚ୍ଛା। ଯେବେ ପ୍ରଥମ ଥର ତୋ ଅଜା ଘରକୁ ଗଲି ସେଠି ମୋତେ ବିରିବରା ଦେଇଥିଲେ ତୋ ମା ଠୁ ଅଧିକ ମୁଁ ବିରିବରାକୁ ଦେଖିଥିଲି କିନ୍ତୁ ଖାଇପାରି ନଥିଲି। ପୁଣି ଖୁସିର ଲହର ଉଠିଗଲା ବୈଠକ ରୁମ୍ ରେ । ପୁଣି ବାପା କହିଲେ ଅବଶ୍ୟ ପରେ ପରେ ମୁଁ ଚିଠିରେ ତୋ ମା ସାଥିରେ କଥା ହେଉଥିଲି। ସେବେ ଆଉ କୋଉ ଫୋନ ଥିଲାକି କହିଲେ ମା।
ସମସ୍ତଙ୍କ କଥା ଶୁଣି ଖୁବ୍ ଖୁସି ଥିଲେ ଶୁଭ୍ରଜିତ ତଥାପି ମନରେ ମନରେ ଚିନ୍ତିତ ଥିଲେ, ହୃଦୟର କଥା କ'ଣ ନିଜଲୋକଙ୍କୁ ଅଛପା ରୁହେ। ତାଙ୍କ ମନ କଥା ଜାଣିପାରିଥିଲେ ତାଙ୍କ ପରିବାର ଲୋକେ, ଜେଜେ ତାଙ୍କୁ ସହଜ ଅନୁଭବ କରେଇବା ପାଇଁ କହିଲେ ଆରେ ସୁଶାନ୍ତ ଆଉ କ'ଣ ଆମ ସମୟ ଏବେ ଅଛି ଆଜି କାଲି ପିଲାମାନେ ଜଣେ ଅନ୍ୟ ଜଣଙ୍କୁ ଠିକ୍ ରେ ଚିହ୍ନିବା ଆଉ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ଜେଜେମା କହିଉଠିଲେ ଏଇ ପଡ଼ୋଶୀ ଘର ପଣ୍ଡା ବାବୁଙ୍କ ଝିଅ କଥା ମୋ ଝିଅକୁ କଥା ହେବାକୁ ଦେଲେନି ସିଏ କିଛି ଜାଣିପାରିଲାଣି ପିଲା ଘର ମଧ୍ୟ ଖୁବ ଭଲ କିନ୍ତୁ ଆଙ୍କର ଆଉ ସେ ପୁଅ ଘର ଚାଲିଚଳଣୀରେ ବେଶ ତୋଫାତ ଅଛି ତାକୁ adjust କରିବାରେ କେତେ ଅସୁବିଧା ହେଲା ଆଉ କୁହନି ଏବେ କିନ୍ତୁ ସବୁ ସୁରୁଖୁରୁରେ ଚାଲିଛି।
ଆଜି କାଲି ପିଲା ବିବାହ ଆଗରୁ ଜଣେ ଆଉ ଜଣଙ୍କ ମନ କଥା ଜାଣିବା ଆଉ ବୁଝିବା ଅତ୍ୟନ୍ତ ଜରୁରି। ବିବାହ ଦୁଇ ପରିବାରର ମିଳନ ସାଥିରେ ଦୁଇ ହୃଦୟର ମିଳନ ମଧ୍ୟ।
ସେ ଝିଅ ଗୋଟିଏ ବେସରକାରୀ ସଂସ୍ଥାରେ କାମ କରୁଛି ଆଉ ତୁ(ଶୁଭ୍ରଜିତ) ମଧ୍ୟ, ତୁ ବାହା ପରେ କଣ ଚାହୁଁଛୁ ଜାଣିବା ସେ ଝିଅ ପକ୍ଷେ ଯେତେ ଗୁରୁତ୍ବପୂର୍ଣ୍ଣ ସେ କଣ ଚାହୁଁଛି ସେୟା ଉପଯୁକ୍ତ ଭାବେ ଗୁରୁତ୍ୱପୂର୍ଣ୍ଣ। ଆଉ ତାପରେ ଦି ଜଣଙ୍କ ଇଚ୍ଛା ଅନିଚ୍ଛା ଦି ଜଣ ଜାଣିବା ଭରସା ଦେବା ଆଉ ଦେବା ସମ୍ମାନ ଦେବା ହିଁ ଗୋଟିଏ ସମ୍ପର୍କକୁ ସୁଦୃଢ କରିଥାଏ, କହିଲେ ସୁଶାନ୍ତ।
ପୁଅ(ଶୁଭ୍ରଜିତ)ର ମୁଣ୍ଡକୁ ଆଉଁସି ମା ସୁଲଗ୍ନା ଦେବୀ କହିଲେ ମୋତେ ପାଠ ପଢ଼ାରେ ବେଶ ଆଗ୍ରହ ଥିଲା ପାଠ ଅଧାରେ ହିଁ ମୋର ବାହା ହୋଇଯାଇଥିଲା, ଆଉ ତୋ ବାପାଙ୍କ ଚାକିରୀ ପ୍ରତି ଦୁଇ ରୁ ତିନି ବର୍ଷରେ ବଦଳି ହେଉଥିଲା କିନ୍ତୁ ତ ବାପାଙ୍କ ସାହାରା ପାଇଁ ହିଁ ମୁଁ ମୋ ଅଧାରେ ଛାଡିଥିବା ପାଠ ପଢାକୁ ପୁରା କରିଲି। ତାଙ୍କର ସେଇ ବିଶ୍ୱାସ ଆଉ ଭରସା ର ପରିଣାମ ସ୍ୱରୂପ ମୁଁ ଚାକିରୀ କରୁଛି, ତାଙ୍କ କାମରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ସାଥିରେ ଆମର ସଂସାରିକ ଜୀବନକୁ ଆମେ ଦୁହେଁ ମିଶି ସୁରୁଖୁରୁରେ ଚଳାଉଛୁ । ଆଉ ତୋ ଭଉଣୀକୁ ଦେଖୁନୁ ସେ କେମିତି ତୋ ଜୋଇଁଙ୍କୁ କାମରେ ସହଯୋଗ କରିବା ପାଇଁ ଚାକିରୀ କରିଲାନାହିଁ। ସଂସାରଟିଏ ଗଢି ତୋଳିବା ସମୟରେ ଯେଉଁ ଇଚ୍ଛା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନଥାଏ ସେଥିରେ କିଛିଟା compromise କରିଲେ କ୍ଷତି ହୋଇନଥାଏ, ବରଂ ଏ ଜୀବନ ଅଧିକ ମଜାଦାର ଅନୁଭବ ହୁଏ। ଆମ ପାଇଁ ତୋର ଆଉ ତୋ ଜୀବନ ସାଥୀର ଖୁସି ସର୍ବପରି ସେ ଏଇ ଝିଅ ହେଉ ଅବା ଆଉ କିଏ। ଆମ ତରଫରୁ କୌଣସି ଜୋର ଜବରଦସ୍ତ ନାହିଁ ତୁ ଆରାମରେ ତୋ ଜୀବନ ସଙ୍ଗିନୀ ଚୟନ କରେ।
ଘରଲୋକଙ୍କ କଥା ଯେମିତି ଶୁଭ୍ରଜିତଙ୍କ ମନର ବୋଝକୁ ହାଲୁକା କରିଦେଲା। ଏକ ଦୀର୍ଘ ନିଃଶ୍ୱାସ ସହିତ ଅଧର କୋଣରେ ଝରିଆସିଲା ଖୁସିର ମୋତି "ତୁମେ ସମସ୍ତେ ମୋତେ କେତେ ସୁନ୍ଦର ଭାବରେ ବୁଝିଲ ମୁଁ ହିଁ ଅଯଥାରେ ଚିନ୍ତା କରୁଥିଲି", କହିଲେ ଶୁଭ୍ରଜିତ। ଜେଜେବାପା ତାଙ୍କର ମତବ୍ୟକ୍ତ କରି କହିଲେ ପରିବର୍ତ୍ତନଶୀଳ ସମୟ ସାଥିରେ କିଛି ସାମାଜିକ ଚାଲିଚଳଣୀରେ ଆସିଥିବା ପରିବର୍ତ୍ତନକୁ ସ୍ୱୀକାର କରି ଆଗକୁ ବଢିବା ହିଁ ସଂସାରର ନିୟମ। ଆମ ସମୟ ଆଉ ତୁମ ସମୟ ମଧ୍ୟରେ ଆକାଶ ପାତାଳ ତଫାତ୍ ତୁମେ ଯେମିତି ଆମ ପରମ୍ପରାକୁ ପ୍ରାଧାନ୍ୟ ଦେଉଛ ଆମର କର୍ତ୍ତବ୍ୟ ଆମେ ମଧ୍ୟ ତୁମ ସାମାଜିକ ବ୍ୟବସ୍ଥାକୁ ଅନୁରୂପ ଭାବେ ଗ୍ରହଣ କରିବୁ। ଆଉ ସମୟ ସ୍ରୋତରେ ନିଜକୁ ସମ୍ଭାଳି ଜୀବନ ଅତିବାହିତ କରିବାକୁ ହୁଏ।
ବହୁତ ରାତି ହୋଇଗଲାଣି ଚାଲ ଏବେ ସମସ୍ତେ ଶୋଇବା । ପୁଣି ସକାଳୁ ଶୀଘ୍ର ଉଠିବାର ଅଛି।
ପ୍ରତିକ୍ଷାର ଅନ୍ତ ହେଲା ତା ପର ଦିନ ଝିଅ ଦେଖା ସାଥିରେ । ସମସ୍ତେ ଖିଆ ପିଆ ସାରି ସଜବାଜ ହୋଇ ବାହାରିଲେ ବନ୍ଧୁ ମିଳନ ପାଇଁ, ଉପଯୁକ୍ତ ସମୟରେ ସମସ୍ତେ ପହଞ୍ଚି ଗଲେ ଝିଅ ଘରେ । ଅଭିମନ୍ୟୁବାବୁ ନିଜ ପିଲାଦିନର ପୁରୁଣା ବନ୍ଧୁ ନିରାକାର ବାବୁଙ୍କ ସାଥିରେ ପୁରୁଣା ସ୍ମୃତି ଅବିସ୍ମରଣ କରିକରି flashbackକୁ ଚାଲିଯାଇଛନ୍ତି । ଆଗରେ ମା ଆଉ ଜେଜେ ମା ନିଜର କଥା ପସରା ମେଲି ଦେଲେଣି ଆଉ ବାପା ତାଙ୍କେ ତାଙ୍କ ଦେଶ ବିଦେଶ ଚର୍ଚ୍ଚାରେ ଅଛନ୍ତି । ଏକା ଅଛନ୍ତି ଶୁଭ୍ରଜିତ କିଏ କିଛି ପଚାରିଲେ ହଁ ଆଉ ନା ବ୍ୟତୀତ ଅନ୍ୟ କୌଣସି ଉତ୍ତର ନାହିଁ ।
ଶୁଭ୍ରଜିତର ମୁଖର ଅଭିବ୍ୟକ୍ତି ଠଉରାଇ ଅଭିମନ୍ୟୁବାବୁ ନିଜ ବନ୍ଧୁକୁ କହିଲେ ଆମେ ମୁଖ୍ୟ କାମକୁ ଭୁଲି ଯାଇଛେ । ମୋ ଭାବି ନାତୁଣୀ ବୋହୂକୁ ଆଣ ସିଏ ଆମ ସାଥିରେ ବସିବ । ସେ ଝିଅକୁ ଦେଖୁ ଦେଖୁ ଶୁଭ୍ରଜିତର ମୁହଁରୁ ବାହାରିଗଲା ତୁମେ.....ଏଠି.....ଏଇଟା ତୁମ ଘର.....। ତୁମେ......ହଁ.....ଏଇଠି..... ସେ ଝିଅର ମୁହଁରୁ ଓତଃସ୍ତ୍ରତ ଭାବରେ ବାହାରିଗଲା । ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଉତ୍କଣ୍ଠାର ସହିତ ଚାହିଁ ରହିଲେ ସେ ଦୁହିଁଙ୍କୁ । ଅଭିମନ୍ୟୁବାବୁ ପଚାରିଲେ କିରେ ତୁ କଣ ଏ ଝିଅକୁ ଆଗରୁ ଜାଣିଛୁ କି? ଶୁଭ୍ରଜିତ ଉତ୍ତର ଦେଲେ ହଁ ଜେଜେ ମୁଁ ପ୍ରଥମଥର ଯେବେ ବାଙ୍ଗାଲୋର ଯାଇଥିଲି ପାଞ୍ଚ ବର୍ଷ ତଳେ ଟ୍ରେନିଂ ପାଇଁ ସେଠାରେ ଆମେ ମିଶିଥିଲୁ ।
ହେଲା ତାହେଲେ ଆମ କାମ କମିଲା ନା କଣ ନିର କହିଲେ ଅଭିମନ୍ୟୁବାବୁ । ତାଙ୍କୁ ସହମତି ଦେଇ ନିରାକାରବାବୁ କହିଲେ ଠିକ କହିଲୁ ଦୁହେଁ ଦୁହିଁଙ୍କ ଚିହ୍ନା ଅଛନ୍ତି ଯେତେବେଳେ ଏବେ ଦୁହେଁ ପରସ୍ପରକୁ ବୁଝିବାରେ ଆଉ ଭାବର ଆଦାନ ପ୍ରଦାନରେ ବିଶେଷ ଅସୁବିଧା ହେବନି । ସେ ଝିଅ ସାଥୀରେ କିଛି ସମୟ ଜେଜେ ମା ଆଉ ମା କଥା ହେଲେ, ତତ୍ପରେ ଜେଜେମା କହିଲେ ପିଲା ଦୁହିଁଙ୍କୁ କିଛି ସମୟ ଅନ୍ୟତ୍ର କଥା ହେବା ପାଇଁ ଦେବା ସେମାନେ କଣ ଆମ ସାମ୍ନାରେ କଥା ହେବେ । ନିରକରବାବୁ କହିଲେ ଆମେ ହେଉଛୁ ପୁରୁଣା ବନ୍ଧୁ ଏବେ କିନ୍ତୁ ତୁମେ ନୂଆ। ତୁମେ ଦି ଜଣ ନିଜ ନିଜ ମଧ୍ୟରେ freely ଭାବର ଆଦାନ ପ୍ରଦାନ କର କାରଣ ତୁମେ ଦୁହିଁଙ୍କୁ ହିଁ ଜୀବନ ସାରା ଏକାକୀ ଅତିବାହିତ କରିବ, କିଛି ବି ନିଷ୍ପତ୍ତି ନେବା ପୂର୍ବରୁ ଆଗାମୀ ଭବିଷ୍ୟ କୁ ଆଖି ଆଗରେ ରଖିନିଅ । ଯା ମା ଛାତକୁ ଯାଇ ଦି ଜଣ କଥା ହୁଅ । ଜେଜେବାପା କହିଲେ ଠିକ କଥା କହିଲୁରେ ସାଙ୍ଗ ।
ଏଇ କେଇ ପଦ କଥା ଶୁଭ୍ରଜିତଙ୍କ ମନକୁ ଗଭୀର ଭାବରେ ଛୁଇଁଲା । ମୁଁହରେ କିଛି କହିନପାରିଲେ ମଧ୍ୟ ମନରେ ମନରେ କୃତଜ୍ଞତାରେ ନତ ମସ୍ତକ ହୋଇଯାଇଥିଲେ ସେ । ଉନ୍ନବିଂଶ ଶତାବ୍ଦୀର ଲୋକେ ବିଂଶ ଶତାବ୍ଦୀରେ ଘଟୁଥିବା ନାଟକୀୟ ପରିବର୍ତ୍ତନକୁ ଯେଉଁ ଭଳି ଭାବରେ ଗ୍ରହଣ କରିଛନ୍ତି ତାହା ସତରେ ଅପରିକଳ୍ପନିୟ । ଏଇ ପରିବର୍ତ୍ତନଶୀଳ ସମାଜ ସାଥିରେ ପାଦରେ ପାଦ ମିଶାଇ ଅତି ସୁନ୍ଦର ଭାବରେ ନିଜକୁ ପରିବର୍ତିତ କରିଛନ୍ତି ମୋର ଜେଜେବାପା ଏବଂ ଜେଜେମା । ଖୁସି ଏବଂ କୃତଜ୍ଞତରେ ଲୋତକମୟ ହୋଇଯାଇଥିଲା ଶୁଭ୍ରଜିତର ଚକ୍ଷୁ ଯୁଗଳ ।
ସତରେ ଥରେ ଭାବନ୍ତୁ ଆମ ପୂର୍ବଜମାନେ ଯେତେ ଆଦର ଓ ସୁନ୍ଦର ଭାବରେ ଆମ ସମାଜକୁ ଆପଣେଇଛନ୍ତି ତାହା ପ୍ରକୃତରେ ଉଲ୍ଲେଖଯୋଗ୍ୟ । ଏବେ ଯୁବପିଢ଼ି ପାଇଁ ପରୀକ୍ଷାର ସମୟ, କାରଣ ଏଇ ପିଢିକୁ ପୂର୍ବ ପିଢ଼ିର ସଂସ୍କାର ସାଥିରେ ନିଜ ପିଢ଼ିର ପରିବର୍ତ୍ତିତ ଚିନ୍ତାଧାରା ମିଳିତ ଭାବରେ ଆଗାମୀ ପିଢ଼ିକୁ ପ୍ରଦାନ କରିବାକୁ ହେବ ।
Comments
Post a Comment