ଶେଷ କଥା

ସେଦିନ ଭୋର ପଞ୍ଚଟାରୁ ଉଠି ଫୁଲ ତୋଳିନଥିଲେ କି ନିତ୍ୟକର୍ମ ସାରି ଯୋଗ କରିନଥିଲେ ଶାରଦା ଦେବୀ। ନିଜର ନିତି ଉଠିବା ସମୟ ସାଢେ ଛ' ଟାରେ ଉଠିଲେ ସରୋଜ ବାବୁ। ଦେଖିଲେ ଶାରଦା ଦେବୀ ଶୋଇଛନ୍ତି ଭାବିଲେ ବୋଧେହୁଏ ବୟସର ପରିଣତ ସମୟରେ ଥକି ଯାଇଛି ନିଜର ନିତ୍ୟକର୍ମ ସାରି ଦେଖିଲେ ଏବେ ବି ଶୋଇଛନ୍ତି। ଇଏ କଣ ଏବେ ଯାଏଁ ଶୋଇଛି ସୂର୍ଯ୍ୟ ଆସି ମୁଣ୍ଡ ଉପରେ, ଶାରଦା ଦେବୀଙ୍କ ଉଦ୍ଦେଶ୍ୟରେ ଡାକ ପକାଇଲେ "ଏଇ ଶୁଣୁଛୁ କି? ଉଠେ ଏତେ ବେଳ ହେଲାଣି ଶୋଇଛୁ କଣ ?" ଠିକ ଏହି ସମୟରେ ନାତୁଣୀ ଆସି ଦେଖିଲା ଯେ ଜେଜେ ମାଆଙ୍କୁ ବହୁତ ଜ୍ୱର ଯାଇ ବାପାଙ୍କୁ କହିଲା। ପୁଅ ଅଜିତ କହିଲେ ମା ର covid test କରିଦେବା, ଟେଷ୍ଟ କରିଲେ। ଅପେକ୍ଷା ରହିଲା ରିପୋର୍ଟ ପାଇଁ, ପର ଦିନ ସକାଳୁ ରିପୋର୍ଟ ଆସିଲା କି covid positive । ଏକାନ୍ତ ଘରେ ରହିଲେ ତା'ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାଙ୍କୁ ସ୍ଥନାନ୍ତରିତ କରାହେଲା। 
ଡାକ୍ତରଖାନାରେ ଥିବା ସମୟରେ ଶାରଦା ଦେବୀ ସ୍ୱାମୀ ସରୋଜ ବାବୁଙ୍କୁ ଶେଷ ଥର ପାଇଁ କହିବାକୁ ଚାହୁଁଥିଲେ କି ଦୀର୍ଘ ୫୦ ବର୍ଷ ବୈବାହିକ ଜୀବନ ବିତିଯାଇଥିଲେ ହେଁ ତାଙ୍କୁ ନିଜ ସ୍ୱାମୀଙ୍କ ପାଖରେ କିଛି ବି ଅଭିଯୋଗ ନାହିଁ। ଯଦି ଅଛି କିଛି ଟା ଅଭିମାନ ଯେମିତି ସେ ନିଜ କାମ ନିଜେ କରୁନାହାନ୍ତି, ଠିକ ସମୟରେ ଔଷଧ ଖାଉନାହାନ୍ତି, ବୋହୂ ଖୁସିରେ କିଛି ଖାଇବା ତିଆରି କରିଲେ ତାଙ୍କୁ ପ୍ରଶଂସା ନକରି ଚୁପ ଖାଇଦିଅନ୍ତି କିନ୍ତୁ ଖରାପ ଥିଲେ ବାଛ ବିଚାର କରନ୍ତି, ନାତି ନାତୁଣୀ ଝଗଡା କରିଲେ ଚିଡନ୍ତି। ସେ କହିବା ପାଇଁ ଚାହୁଁଥିଲେ କି ବୁଢା ବୟସରେ ପୁଅ ବୋହୂ ହିଁ ଭରସା, ଆଜି କାଲି ସମୟ ସାଥିରେ ସାଥ ଦେଇ ଚାଲିବାକୁ ହୁଏ ଏବଂ ତାଙ୍କ ବୋହୂ ଖୁବ ଭଲ ପୋଡ଼ସି କୁନା ସ୍ତ୍ରୀ ଭଳି କଳିହୁଡ଼ି କି କର୍ମକଢି ନୁହେଁ। ଆଉ ଶେଷରେ ଗୋଟିଏ କଥା କି ସେ ସରୋଜ ବାବୁଙ୍କ ସାଥିରେ ଯେତେ ଝଗଡା କରିଲେବି ଅନ୍ତରରୁ ଖୁବ ସମ୍ମାନ ଦିଅନ୍ତି, ବହୁତ ଭଲ ପାଆନ୍ତି ଏବଂ ସରୋଜ ବାବୁଙ୍କୁ ଦୁନିଆର ସବୁଠୁ ଉତ୍ତମ ସ୍ୱାମୀ ଭାବରେ ପରିଚୟ ଦେଇକୁହନ୍ତି କି ଭାଗ୍ୟରେ ଥିଲେ ଏମିତି ସ୍ୱାମୀ ମିଳିବେ।
ନିଜ ପୁଅ ଅଜିତଙ୍କୁ କହିବା ପାଇଁ ଚାହୁଁଥିଲେ କି ସେ ଅଫିସ କାମରେ ବ୍ୟସ୍ତ ରହି ଡେରିରେ ଖାଇବା ପାଇଁ ଆସିଲେ ବୋହୂ ନଖାଇ ନଶୋଇ ତାଙ୍କ ଆସିବା ବାଟକୁ ଚାହିଁ ରହିଥାଏ ଟିକିଏ ଶୀଘ୍ର ଖାଇବା ପାଇଁ ଆସେ ନଥିଲେ ବୋହୂକୁ ଫୋନ କରି ଜଣାଉଥା। ବାପାଙ୍କ ଔଷଧ ଆଣିବା ପାଇଁ ତୁ ପ୍ରାୟତଃ ଭୁଲିଯାଉ  ତେଣୁ ମୁଁ କ୍ୟାଲେଣ୍ଡରରେ ଚିହ୍ନ ଦେଇ ଦେଇଛି, ପିଲାମାନଙ୍କୁ ତୁ ଯେତେ ପାରିବୁ ସମୟଦେ ସେମାନଙ୍କ ସାଥିରେ ସାଙ୍ଗ ହୋଇ ରହିବାପାଇଁ ଚେଷ୍ଟା କରେ ସେମାନେ ବଡ ହୋଇଗଲେଣି ତେଣୁ ଆଖିଦେଖାଇ ନୁହେଁ ହସଦେଖାଇ କଥାହେ। ନାତିଆ ଟୋକାଟା ଟିକିଏ ଦୁଷ୍ଟ ହେଲେବି ଭାରି ଦାୟିତ୍ୱବାନ ଆଉ ନତୁଣୀର ବାହା ବୟସ ହୋଇଗଲାଣି ତା ପସନ୍ଦର ଜୋଇଁ ଆଣିବୁ। ମୋର ତ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କି ତୁ ଯେମିତି ଭଲ ପୁଅ ହେଲୁ ସେମିତି ଭଲ ପିତା ଟିଏ ହେବୁ।
ବୋହୂଙ୍କୁ କହିବା ପାଇଁ ଚାହୁଁଥିଲେ କି ସେ ବହୁତ ଭଲ ଝିଅ, ବୋହୂ ଏବଂ ମାଆ ମଧ୍ୟ। ବୋହୂ ଭିତରେ ସେ ନିଜ ଝିଅକୁ ଦେଖୁଥିଲେ, ସେଥିପାଇଁ ସେ ବେଳେବେଳେ କିଛି ଭୁଲ ଭଟକା ହେଲେ କହୁଥିଲେ ସେ କଥାକୁ ତୁ ଜମା ଧରିବୁନି। ତ ଶଶୁର ଉପରୁ ପ୍ରଶଂସା ନକରିଲେ ବି ଭିତରୁ ବୋହୁକୁ ଖୁବ ଭଲ ପାଉଥିଲେ, ତେଣୁ ଛୋଟ ଛୁଆ ଭଳି ତାଙ୍କର ଯତ୍ନ ନେବୁ। ଠାକୁର ଘରେ ନାଲି ଡ଼ବାରେ ନାତୁଣୀର ବାହା ପାଇଁ ମୁଁ କିଛି ଅର୍ଥ ସଞ୍ଚୟ କରିରଖିଛି ତ ଶଶୁରଙ୍କ ଅଜ୍ଞାନତାରେ । ଆଜି ପର୍ଯ୍ୟନ୍ତ ସେ ନିଜର କୁଟୁମ୍ବକୁ ଯେମିତି ମିଶାଇ ରଖିଛନ୍ତି ଏବେ ତାହାକୁ ଆଗକୁ ନେବା ଦାୟିତ୍ୱ ତୋର। 
ନାତି ଓ ନାତୁଣୀଙ୍କୁ ଉପଦେଶ ଦେବାକୁ ଯାଇ କହିବାକୁ ଚାହୁଁଥିଲେ ଯେ ମାଆ କଥା ମାନି ଚଳିବ, ମନ ଦେଇ ପାଠ ପଢିବ। ଜୀବନରେ କେବେବି ଏମିତି କିଛି କାମ କରିବନି ଯା ଦ୍ୱାରା ତୁମ ମା ଓ ବାପାଙ୍କ ମୁଣ୍ଡ ତଳକୁ ହୋଇଯିବ। ନିଜର କର୍ମ ଠିକ କରିଲେ ଭଗବାନ ନିଶ୍ଚୟ ଭଲ ପରିଣାମ ଦେବେ। ସେଇ ପରମାତ୍ମାଙ୍କ ନିକଟରେ ବିଶ୍ୱାସ କେବେହେଲେ ବି କମ କରିବନି। ତୁମେମାନେ ଏଇ ଦୁନିଆର ଝିକିମିକି ଆଲୁଅରେ ହଜିଯାଇ  ଯେମିତି ନିଜ ମାତା ପିତାଙ୍କୁ ଭୁଲିନଯାଅ।
ପୋଡ଼ସି ଘର ବୁଲୁ ବୋହୂକୁ କହିବା ଥିଲା କି ସେଦିନ ପୂଜା ପାଖରେ ତାଙ୍କର ପିତ୍ତଳର ଥାଳି ଭୁଲରେ ମୋ ପାଖରେ ରହିଯାଇଥିଲା। ସେଦିନ ତାଙ୍କର ପୋଡା ପିଠା ଖୁବ ସୁଆଦିଆ ହୋଇଥିଲା। ତାଙ୍କୁ ବୁଝାଇବାର ଥିଲା କି ଆମ ଯୁଗ ଗଲାଣି ଏବେର ଯୁଗ ସାଥିରେ ଆମକୁ ପାଦ ମିଶାଇ ଚାଲିବାକୁ ହେବ ସେଥିଲାଗି ଆମକୁ ନିଜର ଚିନ୍ତାଧାରାରେ ପରିବର୍ତନ ଆଣିବାକୁ ହେବ।

ଏମିତି କେତେ କଥା କହିବାକୁ ଚାହୁଁଥିଲେ ଶାରଦା ଦେବୀ, କିନ୍ତୁ ହାଏ! କେଡେ ନିର୍ଦୟ ସେ କାଳ ତାଙ୍କୁ ନିଜ ମନ କଥା ଶେଷ ଥର ପାଇଁ କହିବାକୁ ଦେଲାନି। ଅମ୍ଳଜାନ କମି ଯିବାରୁ ICU ଭିତରକୁ ନେଲେ କିନ୍ତୁ କିଛିବି ହେଲାନି କାଳ ତାଙ୍କୁ ନିଜର କରିସାରିଥିଲା। ଶାରଦା ଦେବୀଙ୍କ ମନର କଥା ପରିପ୍ରକାଶ କରିବା ପାଇଁ ତାଙ୍କୁ ସୁଯୋଗ ଟିଏ ଦେଲାନି ନିଷ୍ଠୁର କାଳ। 

Comments

Post a Comment

Popular posts from this blog

ବକ୍ତୃତା

ଝିଅ ଦେଖା