ଗାଥା- ଏଇ ମାଟିର
ବର୍ତ୍ତମାନ କୋଭିଡର ଭୟ ବହୁତକାଂଶରେ କମି ଯାଇଛି । ବର୍ଷେରୁ ଅଧିକ ସମୟ ଘରେ ରହି ବୋର୍ ଲାଗିଲାଣି ସେଥିପାଇଁ ସୁକାନ୍ତ ବାବୁ ବର୍ତ୍ତମାନ ଚେନ୍ନାଇ ଯାଇଛନ୍ତି, ଝିଅ ଘରକୁ। ଚେନ୍ନାଇରେ ଝିଅ ଓ ଜୋଇଁ ସାଥିରେ ଅଛି ତାଙ୍କର ଅଲିଅଳି ଗୁଳୁଗୁଳୁଆ ନାତୁଣୀ ଆକୃତି । ତା ସାଥିରେ ବେଶ୍ ଖୁସିରେ ଦିନ ଗଡି ଯାଉଛି, ଲାଗୁଛି ଯେପରି ଘଣ୍ଟା କଣ୍ଟା ମିନିଟ୍ କଣ୍ଟାରେ ବଦଳି ଯାଇଛି । ଅନଲାଇନ୍ ପାଠପଢାରୁ ବିରତି ମିଳିଲେ ନାତୁଣୀ ଆସି ଅଜାଙ୍କ କଡରେ ହାଜର । ସନ୍ଧ୍ୟାବେଳେ ପାର୍କରେ ବୁଲିବା ସମୟରେ ଅନଲାଇନ୍ କ୍ଲାସରେ କିଏ କ'ଣ କରିଲା, କ'ଣ ପଢା ହେଲା ସବୁ ରିପୋର୍ଟ କରେ ସୁକାନ୍ତ ବାବୁଙ୍କ ନିକଟରେ ।
ସେଦିନ ବୁଲୁଥିବା ସମୟରେ କହିଲା, "ଜାଣିଛ ଅଜା ଅଗଷ୍ଟ ୧୫ ତାରିଖରେ ଆମ ଭାରତ ସ୍ୱାଧୀନ ହୋଇଥିଲା । ୨୦୦ ବର୍ଷ ଧରି ବ୍ରିଟିଶ ଆମକୁ ଶାସନ କରୁଥିଲେ । ଗାନ୍ଧୀ, ନେହେରୁ, ବୋଷ, ଭାଗତ ସିଂ, ଶାସ୍ତ୍ରୀ, ଏମାନେ ସମସ୍ଟେ କେତେ ଲଢ଼ି, ଜେଲ ଯାଇ ଆମକୁ ସ୍ୱାଧୀନ ଦେଇଛନ୍ତି ।"
"ଆଚ୍ଛା ଆଉ କ'ଣ କ'ଣ କରିଥିଲେ?" କହି ପ୍ରଶ୍ନ କରିଲେ ସୁକାନ୍ତ ବାବୁ ।
"ସେମାନେ କେତେ କ'ଣ କରିଥିଲେ ଯେମିତିକି ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ, ସ୍ୱରାଜ ଆନ୍ଦୋଳନ......" ନାତୁଣୀର କଥାକୁ ଅଧାରେ ରଖି ଅଜା ପ୍ରଶ୍ନ କରିଲେ, "କହିଲୁ ପ୍ରଥମେ କେଉଁମାନେ ଏକଜୁଟ ହୋଇ ଗୋରା ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ?"
"ଗାନ୍ଧୀ, ନେହେରୁ" - ପ୍ରତ୍ୟୁତ୍ତର ଦେଲେ ଆକୃତି
"ଧେତ୍.... ସେମାନେ ବହୁତ ପରେ ଆସିଲେ । ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ ମସିହାରେ ଆମ ଓଡ଼ିଶା ମାଟିର ପାଇକ ପୁଅ ଆରମ୍ଭ କରିଥିଲେ, ତା' ନାମ ହେଲା ପାଇକ ବିଦ୍ରୋହ।"
"ୱାଓ ! ଅଜା ଆମ ଓଡିଶାରେ ଆରମ୍ଭ ହୋଇଥିଲା । ଆଉ କ'ଣ ସବୁ ହୋଇଥିଲା ପାଇକ ବିଦ୍ରୋହରେ ।" ଉତ୍କଣ୍ଠାର ସହିତ ପ୍ରଶ୍ନ ପଚାରିଲେ ଆକୃତି ।
ପ୍ରତ୍ୟୁତ୍ତରରେ ସୁକାନ୍ତ ବାବୁ କହି ଉଠିଲେ, "ପରାଧୀନ ଭାରତର ଶେଷ ସ୍ୱାଧୀନ ରାଜା ମହାରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରିଲା ପରେ ପ୍ରଜାଙ୍କ ନେତୃତ୍ୱ ନେଇଥିବା ଜୟୀ ରାଜଗୁରୁଙ୍କୁ ବରଗଛରେ ଓଲଟା ଓହଳାଇ ନିଷ୍ଠୁର ଭାବରେ ତାଙ୍କୁ ଚିରି ଦେଇଥିଲେ ଗୋରା ସରକାର । ତା' ପରେ ଆରମ୍ଭ କରିଦେଲେ ମୋ ନିରୀହ ଓଡ଼ିଆଙ୍କ ଉପରେ ଅକଥନୀୟ ଅତ୍ୟାଚାର । ସେଇ ଅତ୍ୟାଚାରରୁ ଜନ୍ମ ନେଲା ପାଇକ ବିଦ୍ରୋହ, ଯାହାର ନେତୃତ୍ୱ ନେଇଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ।"
"ବକ୍ସି ଜଗବନ୍ଧୁ ! ସେ କ'ଣ ଏକା ଲଢେ଼ଇ କରିଲେ, ଅଜା ?"
"ନାରେ ମା, ସେ କେବଳ ଏହି ବିଦ୍ରୋହ ବାଣପୁର ଏବଂ ଖୋର୍ଦ୍ଧାରେ ଆରମ୍ଭ କରିଥିଲେ କିନ୍ତୁ ଏହା ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଧ୍ରୁତ ଗତିରେ ବ୍ୟାପିଥିଲା । ତାଙ୍କୁ ସାହାଯ୍ୟ କରିବାକୁ କନିକା, କୁଜଙ୍ଗ, ନୟାଗଡ଼ ଓ ଘୁମୁସର ରାଜାମାନେ ଆଗେଇ ଆସିଥିଲେ ।" କହି ନାତୁଣୀକୁ ଉତ୍ତର ଦେଲେ ଅଜା ସୁକାନ୍ତ ବାବୁ।
ନିଜ ଉତ୍କଣ୍ଠାକୁ ସମ୍ଭାଳି ନପାରି ଆକୃତି ପୁଣି ପ୍ରଶ୍ନ କରିଲା, "ଅଜା ମୋତେ ଓଡ଼ିଶାର ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟରେ ଆହୁରି ଜାଣିବାର ଅଛି ।"
ନାତୁଣୀର ମୁଣ୍ଡକୁ ଖୁସିରେ ଆଉଁସି ଏକ ସ୍ମିତା ହସ ସାଥିରେ ଆରମ୍ଭ ବୀର ଉତ୍କଳ ସନ୍ତାନ ମାନଙ୍କ ଅମଳିନ ଗାଥା, "ଶୁଣରେ ମା, ଓଡ଼ିଶାରେ ଆନ୍ଦୋଳନ ପାଇଁ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଠାରୁ ଆରମ୍ଭ କରି ଉତ୍କଳମଣି ଗୋପବନ୍ଧୁ ଦାସ, ବାରିଷ୍ଟର ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ଚନ୍ଦ୍ର ଶେଖର ବେହେରା, କାଳନ୍ଦୀ ଚରଣ ପାଣିଗ୍ରାହୀ, ଆଚାର୍ଯ୍ୟ ହରିହର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଚାଖି ଖୁଣ୍ଟିଆ, ବିଶ୍ବାମ୍ବର ପରିଡା, ବିଜୁବାବୁ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ, ଡ଼ଃ. ହରେକୃଷ୍ଣ ମହତାବଙ୍କ ବ୍ୟତୀତ ଲକ୍ଷ୍ମଣ ନାୟକ, ମୁଣ୍ଡା ପିଲା ବିର୍ସା ମୁଣ୍ଡା......." ଅଜାଙ୍କ କଥାକୁ ଅଧାରେ ରଖି ଆକୃତି କହିଲା ଏତେ ଲୋକ ।"
ଖୁବ ଜୋରରେ ହସି ଅଜା କହିଲେ, "ଆହୁରି ଅନେକ ସଂଗ୍ରାମୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଢେଙ୍କାନାଳର ୧୨ ବର୍ଷ ବୟସର କୁନି ସଂଗ୍ରାମୀ, ନାଉରି ବାଜିରାଉତ ମଧ୍ୟ ଇଂରାଜୀ ଲୋକଙ୍କୁ ଡରି ବ୍ରାହ୍ମଣୀ ନଦୀ ପାର କରାଇବା ଠାରୁ ଏହି ସଂଗ୍ରାମରେ ଜୀବନ ବଳିଦେବା ଶ୍ରେୟସ୍କର ମଣିଥିଲେ ।"
"ଅଜା ସେ ଏତେ ଛୋଟ ଥିଲେ ମଧ୍ୟ ଡରିନଥିଲେ ?" - କହି ନିଜର ବିସ୍ମୟ ଭାବ ପ୍ରକାଶ କରିଉଠିଲା ୧୨ ବର୍ଷର ନାତୁଣୀ ଆକୃତି ।
"କେବଳ ପୁରୁଷ ନୁହଁନ୍ତିରେ ଝିଅ ଏ ମାଟିର ମା ମାନେ ସୁଦ୍ଧା ଘରୁ ବାହାରି ଆସିଥିଲେ ସ୍ୱାଧୀନତାର ଦାବି ପାଇଁ, ଭୋଗିଲେ କାରାଦଣ୍ଡ ।"- ଗୌରବରେ କହିପଡିଲେ ସୁକାନ୍ତ ବାବୁ ।
"ଲେଡିସ୍ ମାନେ ମଧ୍ୟ, ଅଜା ମତେ ସେମାନଙ୍କ ନାମ କୁହ ପ୍ଲିଜ ।" ନିଜ ଜନ୍ମ ମାଟିର ଗାଥା ଶୁଣିବା ପାଇଁ ଜିଜ୍ଞାସୁ ହୋଇଉଠିଲେ ଆକୃତି
"କହୁଛି କହୁଛି, ସେମାନେ ହେଉଛନ୍ତି ଡ଼ଃ. କୁନ୍ତଳା କୁମାରୀ ସାବତ, ମା ରମା ଦେବୀ ଚୌଧୁରୀ, ପ୍ରଥମ ମହିଳା ସ୍ପିକର ସାରଳା ଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ପଶ୍ଚିମ ଓଡ଼ିଶାର ମଦର ଟେରେସା ପାର୍ବତୀ ଗିରି, ଭାରତୀୟ ସେନାର କନିଷ୍ଠ ସୈନିକ ଲଷ୍ମୀ ପଣ୍ଡା, ଇତ୍ୟାଦି । କିଏ ନିଜ କଲମର ମୁନରେ ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରୁଥିଲେ ତ କିଏ ନିଜ କଥାର ବାଣରେ । ସେ ଲବଣ ସତ୍ୟାଗ୍ରହ, ଆଇନ ଅମାନ୍ୟ, ଅସହଯୋଗ ହେଉ ଅବା ଭାରତ ଛାଡ଼ ସବୁଥିରେ ଏ ମାଟିର ସନ୍ତାନ ମାନଙ୍କ ଭୂମିକା ଅବର୍ଣ୍ଣନୀୟ ।"
ଅଜା ନାତୁଣୀ କଥାରେ ଏତେ ମଜ୍ଜି ଯାଇଥିଲେ ଯେ କେତେବେଳେ ସୂର୍ଯ୍ୟ ପାହାଡ ଉହାଡରେ ଲୁଚି ଜହ୍ନ ହସିଲେଣି ଧ୍ୟାନ ନାହିଁ । ଏତିକି ବେଳେ ମୋବାଇଲର ରିଙ୍ଗ୍ ଅଟକାଇ ଦେଲା ଦୁହିଁଙ୍କୁ । ଆରପଟୁ ଝିଅ କହିଲେ, "କ'ଣ ଅଜା ନାତୁଣୀଙ୍କ ଘର କଥା ମନେପଡୁନି କି ?" "ଆସୁଛୁ" କହି ଉତ୍ତର ଦେଲେ ଅଜା ସୁକାନ୍ତ ବାବୁ । ଅଜା ନାତୁଣୀ ବାହାରି ପଡିଲେ ଘର ଅଭିମୁଖେ ।
Super
ReplyDeleteThank you
Delete